ପାଇକମାଳ: ବରଗଡ଼ ଜିଲ୍ଲା ପାଇକମାଳ ସ୍ଥିତ ପ୍ରଧାନମନ୍ତ୍ରୀ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ (JNV) ପରିସରରେ ଏକ ସମ୍ବେଦନଶୀଳ ତଥା ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ବିଦ୍ୟାଳୟର ସପ୍ତମ ଶ୍ରେଣୀରେ ପଢ଼ୁଥିବା କୋମଳମତି ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ଉପରବେଚ୍ ଅର୍ଥାତ୍ ଅଷ୍ଟମ ଶ୍ରେଣୀର ଛାତ୍ରମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସପ୍ତମ ଶ୍ରେଣୀର ପ୍ରାୟ ୨୭ ଜଣ ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ି ସମୂହ ଛୁଟିରେ ଘରକୁ ଫେରିଯିବା ପରି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।
ଲାଇଟ୍ ବନ୍ଦ କରି ନିର୍ଦ୍ଦୟ ଆକ୍ରମଣ ଓ ରେଗିଙ୍ଗ୍
ଅଭିଭାବକ ଓ ବିଦ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ତା ୧୧:୦୭:୨୦୨୬ ରିଖ (ଶନିବାର) ରାତି ପ୍ରାୟ ୧୦ଟା ପରେ ହଷ୍ଟେଲର ଲାଇଟ୍ ବନ୍ଦ କରି ଦିଆଯାଇଥିଲା। ଏହାପରେ ଅଷ୍ଟମ ଶ୍ରେଣୀର କିଛି ଛାତ୍ର ସପ୍ତମ ଶ୍ରେଣୀର ପିଲାମାନେ ରହୁଥିବା ଉଦୟଗିରି ଓ ଅରବଳୀ ହଷ୍ଟେଲର ରୁମ୍ଗୁଡ଼ିକ ମଧ୍ୟକୁ ଜବରଦସ୍ତ ପଶିଆସିଥିଲେ। ସେମାନେ ସେଠାରେ ରହୁଥିବା ଜୁନିୟର ଛାତ୍ରମାନଙ୍କୁ ଲାଠି, ଚପଲ, ବିଦ୍ୟୁତ ତାର (ଓ୍ବେର୍) ଏବଂ ସ୍ପୋର୍ଟସ୍ ବୁଟ୍ ସାହାଯ୍ୟରେ ଅତି ନିର୍ଦ୍ଦୟ ଭାବେ ସଂଘବଦ୍ଧ ଆକ୍ରମଣ କରିବା ସହ ର୍ୟାଗିଂ କରିଥିଲେ। କେବଳ ସେତିକି ନୁହେଁ, ଯଦି ଏହି ବିଷୟରେ କୌଣସି ଛାତ୍ର ନିଜ ଅଭିଭାବକ କିମ୍ବା ବିଦ୍ୟାଳୟର ଶିକ୍ଷକମାନଙ୍କ ନିକଟରେ ଅଭିଯୋଗ କରନ୍ତି, ତେବେ ସେମାନଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦିଆଯାଇଥିଲା।
ସୁରକ୍ଷା ପ୍ରତିଶ୍ରୁତି ଦେବାରେ ବିଫଳ ହେଲେ କର୍ତ୍ତୃପକ୍ଷ
ଏହି ଘଟଣା ପରେ ଭୟଭୀତ ହୋଇ ଅଭିଭାବକମାନେ ରବିବାର ଦିନ ସ୍କୁଲରେ ପହଞ୍ଚି ଇନ୍ଚାର୍ଜ ପ୍ରିନ୍ସିପାଲ୍ ଏବଂ ଶିକ୍ଷକମାନଙ୍କ ସହିତ ଦୀର୍ଘ ୭ ଘଣ୍ଟା କାଳ ଆଲୋଚନା କରିଥିଲେ। ମାତ୍ର ଦୁଃଖ ଓ ପରିତାପର ବିଷୟ ଯେ, ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ସୁରକ୍ଷା ଦେବା ପାଇଁ କୌଣସି ପ୍ରକାରର ଦୃଢ଼ ବା ନିର୍ଭର ପ୍ରତିଶ୍ରୁତି ଦେଇପାରିନଥିଲେ। ସ୍କୁଲ ପ୍ରଶାସନର ଏଭଳି ଦାୟିତ୍ୱହୀନ ମନୋଭାବ ଯୋଗୁଁ ନିଜ ପିଲାମାନଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଥିବା ଅଭିଭାବକମାନେ ଘଟଣାର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ସପ୍ତମ ଶ୍ରେଣୀର ସମସ୍ତ ପିଲାମାନଙ୍କୁ ସମୂହ ଛୁଟିରେ ଘରକୁ ନେଇଯିବା ପାଇଁ ବାଧ୍ୟ ହୋଇ ନିଷ୍ପତ୍ତି ନେଇଛନ୍ତି।
ତଦନ୍ତ ନିର୍ଦ୍ଦେଶ ଓ ପରବର୍ତ୍ତୀ ପଦକ୍ଷେପ
ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ପାଇକମାଳ ସି.ଆର.ସି.ସି (CRCC) ରଞ୍ଜନ ବାଗ ବିଦ୍ୟାଳୟ ପରିସରକୁ ଯାଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ସେ ପ୍ରକାଶ କରିଛନ୍ତି ଯେ, ଆକ୍ରମଣ ଓ ର୍ୟାଗିଂ ଘଟଣାରେ ସମ୍ପୃକ୍ତ ଥିବା ଦୋଷୀ ଛାତ୍ରମାନଙ୍କ ବିରୋଧରେ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କୁ ନିଲମ୍ବିତ (Suspend) କରାଯିବ।
ବିଶେଷ ଦ୍ରଷ୍ଟବ୍ୟ: ବିଦ୍ୟାଳୟ କର୍ତ୍ତୃପକ୍ଷ ଯଦି ଏହି ସମ୍ବେଦନଶୀଳ ଘଟଣାର କୌଣସି ସ୍ଥାୟୀ ସମାଧାନ ଏବଂ ସୁରକ୍ଷାର ଗ୍ୟାରେଣ୍ଟି ନ ଦିଅନ୍ତି, ତେବେ ଆବଶ୍ୟକ ସ୍ଥଳେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ (JNV ସଂଗଠନ) ଏବଂ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରସ୍ଥ ହେବା ପାଇଁ ସମସ୍ତ ଅଭିଭାବକମାନଙ୍କୁ ସମୂହ ଅନୁରୋଧ କରାଯାଇଛି।
ନିୟମିତ ଏବଂ ସଠିକ୍ ସ୍ଥାନୀୟ ଖବର ପାଇଁ Happy Paikmal ସହିତ ଯୋଡ଼ି ହୋଇ ରୁହନ୍ତୁ।
Gallery
Comments (0)
Login or Register to leave a comment.