ହରଭଙ୍ଗା (ହାପି ପାଇକମାଳ ବ୍ୟୁରୋ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକ ନିକଟରେ ଥିବା ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପଟି ଦୀର୍ଘ ଦିନ ଧରି ଅଚଳ ହୋଇ ପଡ଼ିରହିଛି। ଏହି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ବ୍ଲକ କାର୍ଯ୍ୟାଳୟକୁ ବିଭିନ୍ନ କାମରେ ଆସୁଥିବା ଶତାଧିକ ଜନସାଧାରଣ ପାଣି ମୁନ୍ଦାଏ ପାଇଁ ଚରମ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବହେଳା: ପ୍ରକାଶଥାଉ କି, ହରଭଙ୍ଗା ବ୍ଲକ ପରିସରରେ ବ୍ଲକ କାର୍ଯ୍ୟାଳୟ ସମେତ ତହସିଲ, ମେଡିକାଲ, ବ୍ୟାଙ୍କ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ରହିଛି। ଏଠାକୁ ପ୍ରତିଦିନ ବ୍ଲକର ପ୍ରାୟ ୨୨ଟି ପଞ୍ଚାୟତରୁ ଶତାଧିକ ଲୋକ ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ଆସିଥାନ୍ତି। ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକରେ ସମସ୍ତ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ତୁରନ୍ତ ମରାମତି କରିବାକୁ ଜିଲ୍ଲାପାଳ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ହରଭଙ୍ଗା ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ବେଖାତିର କରିଥିବା ଅଭିଯୋଗ ହେଉଛି।
ବାହାରୁ ପାଣି କିଣି ପିଉଛନ୍ତି ଜନସାଧାରଣ: ପ୍ରଶାସନର ଉଦାସୀନତା ଯୋଗୁଁ ସାଧାରଣ ଜନତା ବାହାରୁ ଅର୍ଥ ଖର୍ଚ୍ଚ କରି ପାଣି କିଣି ପିଇବାକୁ ବାଧ୍ୟ ହେଉଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଏହି ପ୍ରକଳ୍ପ ସଜଡ଼ା ନଯିବା ସ୍ଥାନୀୟ ପ୍ରଶାସନର କାର୍ଯ୍ୟଦକ୍ଷତା ଏବଂ ଆନ୍ତରିକତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ବୃହତର ଜନସ୍ୱାର୍ଥ ଏବଂ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ଏଦିଗରେ ତୁରନ୍ତ ପଦକ୍ଷେପ ନେଇ ଅଚଳ ଥଣ୍ଡା ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଜୋରଦାର ଦାବି ହେଉଛି।
#HappyPaikmal #BaudhNews #HarbhangaBlock #WaterCrisis #HarbhangaNews #OdishaSummer #WaterProjectFailure #PublicIssue #BaudhDistrict #OdishaUpdates #PublicVoice #DrinkingWaterCrisis
Gallery
Comments (0)
Login or Register to leave a comment.